ଆଜିର ଅନୁଚିନ୍ତା – ଦୁଃଖ କଷ୍ଟମୟ

ଆଜିର ଅନୁଚିନ୍ତା – ଦୁଃଖ କଷ୍ଟମୟ

ଜଣେ ରାଜା କିଛି ବ୍ରାହ୍ମଣଙ୍କୁ ନିମନ୍ତ୍ରଣ କରି ରାଜ ଉପବନରେ ଭୋଜନ ଦେଉଥିଲେ । ସେ ନିଜେ ସମସ୍ତ ବ୍ରାହ୍ମଣଙ୍କୁ ଖାଦ୍ୟ ପରସୁ ଥିଲେ । ଠିକ୍ ଏହି ସମୟରେ ଗୋଟେ ଚିଲ ଥଣ୍ଟରେ ଏକ ମୃତ ସାପକୁ ଧରି ରାଜାଙ୍କ ମୁଣ୍ଡ ଉପରେ ଆକାଶ ମାର୍ଗରେ ଅତିକ୍ରମ କରୁଥିଲା । ମୃତ ସାପର ମୁହଁରୁ କିଛି ବୁନ୍ଦା ବିଷ ଝରି ଆସି ଏକ ବ୍ରାହ୍ମଣର ଭୋଜନ ପାତ୍ରରେ ପଡିଲା । ଏକଥା ବ୍ରାହ୍ମଣ ଜାଣିପାରିଲେ ନା ରାଜା । ତେଣୁ ବ୍ରାହ୍ମଣ କିଛି ଖାଦ୍ୟ ଖାଇବା ମାତ୍ରେ ସାପର ବିଷ ତାଙ୍କ ଶରୀରରେ ନିଜ କାୟା ବିସ୍ତାର କଲା ଓ କିଛି କ୍ଷଣ ମଧ୍ୟରେ ସେ ପ୍ରାଣତ୍ୟାଗ କଲେ । ରାଜା ମନେ ମନେ ଦୁଃଖ ପ୍ରକାଶ କଲେ ଯେ ତାଙ୍କୁ ବ୍ରହ୍ମହତ୍ୟାର ପାପ ଲାଗିଲା । ଏପରି ଏକ ଆକସ୍ମିକ ଦୂର୍ଘଟଣା ପାଇଁ ପାପର ଭାର କାହା ମୁଣ୍ଡରେ ଯିବ, ଏହା ସ୍ଥିର କରିବା ଯମରାଜଙ୍କ ପାଇଁ ଏକ କଠିନ ସମସ୍ୟା ଦେଖାଗଲା ।

ରାଜା- ଯିଏକି ସମ୍ପୁର୍ଣ୍ଣ ଅଜ୍ଞ ଥିଲେ ଆକାଶ ମାର୍ଗରୁ ବିଷ ଝରି ଖାଦ୍ୟ ବିଷାକ୍ତ ହୋଇଯାଇଛା ।
ଚିଲ- ଯିଏକି ନିଜ ଖାଦ୍ୟକୁ ନେଇ ଆକାଶ ମାର୍ଗରେ ଯାଉଥିଲା ନିଜ କୁନିିକୁନି ଛୁଆଁଙ୍କ ଥଣ୍ଟରେ ଦେବା ପାଇଁ । ସେ ବି ଜାଣିନଥିଲା ସାପର ମୁହଁରୁ ବିଷ ଝରି ବ୍ରାହ୍ମଣ ଭୋଜନରେ ମିଶିଛି ।
ସାପ- ଯିଏକି ପ୍ରଥମରୁ ମୃତ । ଯାହାର ଅସ୍ଥିତ୍ବ ବୋଲି କିଛି ନାହିଁ ।

ବହୁତ ଦିନ ପର୍ଯ୍ୟନ୍ତ ଏ ସମସ୍ୟାର ସମାଧାନ ହୋଇନପାରି ଯମରାଜଙ୍କ ଦରବାରରେ ପଡିରହିଲା । କିଛିଦିନ ପରେ ଜଣେ ବ୍ରାହ୍ମଣ ରାଜାଙ୍କୁ ଦେଖା କରିବା ପାଇଁ ରାଜମହଲକୁ ଯାଉଥିଲେ । ସେ ରାସ୍ତାରେ ଜଣେ ମହିଳାଙ୍କୁ ରାଜମହଲକୁ ଯିବାର ପଥ ପଚାରିଲେ । ମହିଳା ଜଣକ ବ୍ରାହ୍ମଣକୁ ରାଜମହଲର ପଥ ଦେଖାଇ କହିଲା ଆପଣ ସଜାଗ ହୋଇ ରହିଥିବେ । ଶୁଣିବାକୁ ମିଳୁଛି ଏ ରାଜା ବ୍ରହ୍ମଣ ମାନଙ୍କ ଖାଦ୍ୟରେ ବିଷ ଦେଇ ମାରି ଦେଉଛି । ମହିଳାଙ୍କ ମୁହଁରୁ ଏତିକି କଥା ବାହାରିବା ମାତ୍ରେ ଯମରାଜ ତତ୍କ୍ଷଣାତ ନିର୍ଣ୍ଣୟ ନେଲେ ବ୍ରାହ୍ମଣ ହତ୍ୟାର ପାପ ଏ ମହିଳାଙ୍କ ଖାତାରେ ଯୋଡାଯାଉ । ସେ ମହିଳା ବ୍ରହ୍ମହତ୍ୟା ପାପ ଭୋଗିବାର ଏକମାତ୍ର ଅଧୀକାରି ।

ଯମଦୂତମାନେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ହେ ପ୍ରଭୁ, ବ୍ରାହ୍ମଣ ହତ୍ୟାରେ ମହିଳା କୌଣସି ଭୂମିକାରେ ନଥିଲେ । ତେବେ ସେ ମହିଳା ବ୍ରହ୍ମଣ ହତ୍ୟାର ପାପ କାହିଁକି ଭୋଗିବେ ? ଯମରାଜ ଉତ୍ତର ଦେଲେ ଯେତେବେଳେ କେହି ପାପ କରେ, ତାକୁ ସେଥିରେ କିଛି ଲାଭ ହେବା ସହିତ ଆନନ୍ଦ ମିଳିଥାଏ । କିନ୍ତୁ ବ୍ରାହ୍ମଣ ହତ୍ୟାରେ ରାଜାଙ୍କୁ କିଛି ଲାଭ ମିଳିଲା ନା ସେ ଚିଲକୁ ନା ସାପକୁ ? ହେଲେ ଏ ମହିଳା ଘଟଣାର ସତ୍ୟତା ନଜାଣି ରାଜାଙ୍କ ବିଷୟରେ କଟୁ ମନ୍ତବ୍ୟ ଦେଲେ । ଏହାଦ୍ବାରା ସେ କାହାକୁ ସଚେତନ କରିଥିବାର ଭାବି ଆନନ୍ଦ ଅନୁଭବ କଲେ । ସେଥିପାଇଁ ବ୍ରାହ୍ମଣ ହତ୍ୟାର ପାପ ମହିଳାଙ୍କ ଖାତାରେ ଯୋଡାଯାଉ ।

ବନ୍ଧୁମାନେ ଆମେ ବେଳେବେଳେ ଚିନ୍ତା କରନ୍ତି ଆମେ କାହାର କୌଣସି କ୍ଷତି କରିନାହୁଁ । ତଥାପି ଆମ ଜୀବନ କାହିଁକି ଏତେ ଦୁଃଖ କଷ୍ଟମୟ ହୋଇଥାଏ । ପ୍ରକୃତ କଥା ହେଲା ଏ ଦୁଃଖ କଷ୍ଟ ଆମକୁ ଅନ୍ୟ ବ୍ୟକ୍ତି ବିଷୟରେ କିଛି ନଜାଣି ନଶୁଣି ଦେଇଥିବା କଟୁ ମନ୍ତବ୍ୟର ପରିଣାମ । ତେଣୁ ଆଜିଠୁ ସଂକଳ୍ପ ନେବା କାହା ବିଷୟରେ କିଛି ନଜାଣି ଖରାପ ରାୟ ଦେବା ନାହିଁ କି କୌଣସି ପାପର ଭାଗିଦାରୀ ହେବା ନାହିଁ ।

ଜୟ ଜଗନ୍ନାଥ ।।।

Leave a Reply